Monday, May 21, 2018

ବିଜେପି ବିରୋଧରେ ଜାରି ଲାଞ୍ଚ ଅଡିଓ ଟେପ୍ ମିଥ୍ୟା : କଂଗ୍ରେସ ବିଧାୟକ ଶିବରାମ

ବେଙ୍ଗାଲୁର, ୨୧/୫  : କର୍ଣ୍ଣାଟକରେ ସରକାର ଗଠନକୁ ନେଇ ଜାରି ରହିଥିବା ଟଣାଓଟରା ମଧ୍ୟରେ ୟେଲ୍ଲାପୁର କଂଗ୍ରେସ ବିଧାୟକ ଶିବରାମ ହେବାର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି  । ସେ କହିଛନ୍ତି ଯେ, ବିଜେପି ତାଙ୍କୁ କିଣିବାକୁ ୧୫ କୋଟି ଟଙ୍କା ଯାଚିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା  । ୨ ଦିନ ତଳେ ଶିବରାମଙ୍କ ପତ୍ନୀଙ୍କୁ ବିଜେପି ନେତା ଫୋନ୍ କଲ୍ କରି ୧୫ କୋଟି ଟଙ୍କାରେ ମୁଣ୍ଡ ବିକିବାକୁ ମୂଲଚାଲ କରିଥିବା ଅଭିଯୋଗ ହୋଇଥିଲା  । ଏନେଇ କଂଗ୍ରେସ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି  । ଶିବରାମ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଅଡିଓ ଟେପ୍ ମନଗଢ଼ା ଓ ଏହି ଅଡିଓ ଟେପ୍ରେ ଶୁଣିବାକୁ ମିଳୁଥିବା ସ୍ୱର ତାଙ୍କ ପତ୍ନୀଙ୍କ ନୁହେଁ ବୋଲି କହିଛନ୍ତି  ।

ଅନ୍ୟପଟେ କଂଗ୍ରେସ ନେତା ଏହି ଅଡିଓ ଟେପ୍କୁ ସମ୍ପୂର୍ଣ୍ଣ ସତ୍ୟ ବୋଲି କହିବା ସହ ଏହାର ଫରେନ୍ସିକ ଯାଞ୍ଚ କରିବାକୁ ଦାବି କରିଛନ୍ତି  । ଉଲ୍ଲେଖ ଯେ, କର୍ଣ୍ଣାଟକ ବିଧାନସଭାରେ ବିଜେପି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିଲା ଯେ, ବି.ଏସ୍.ୟେଦ୍ୟୁରପ୍ପାଙ୍କ ପୁଅ ଫୋନ୍ କରି ଶିବରାମ ହେବାରଙ୍କ ପତ୍ନୀଙ୍କୁ ସମର୍ଥନ ଦେବାକୁ ମୂଲଚାଲ କରିଥିଲେ ଏବଂ ୧୫ କୋଟି ଟଙ୍କା ଯାଚିଥିଲେ  । ସୋମବାର ଶିବରାମ ହେବାର ନିଜ ଫେସ୍ବୁକ୍ ଆକାଉଣ୍ଟରେ ଲେଖିଛନ୍ତି ଯେ, ତାଙ୍କ ପତ୍ନୀ ଏବଂ ବିଜେପି ଲୋକଙ୍କ ମଧ୍ୟରେ ସନ୍ଦେହଜନକ କଥାବାର୍ତ୍ତା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ସେ ବିଳମ୍ବରେ ଜାଣିବାକୁ ପାଇଲେ  । ତେବେ ଏହା ତାଙ୍କ ପତ୍ନୀଙ୍କ ସ୍ୱର ନୁହେଁ  । ତାଙ୍କ ପତ୍ନୀ ବିଜେପି ନେତାଙ୍କ ଠାରୁ କୌଣସି ଫୋନ୍ କଲ୍ ପାଇନାହାନ୍ତି  । ଅଡିଓ ଟେପ୍ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢ଼ା ବୋଲି ବିଧାୟକ ଶ୍ରୀ ହେବାର କହିଛନ୍ତି

No comments:

Post a Comment