Tuesday, June 5, 2018
କିଷନଗଙ୍ଗା ଡ୍ୟାମ୍ ବିବାଦ; ଓଲଟା ଭାରତର ଦାବି ମାନିବାକୁ ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍ର ନିର୍ଦ୍ଦେଶ
ହେଗ୍, ୫/୬ : ଉତ୍ତର କାଶ୍ମୀରର ବନ୍ଦୀପୁର ଅଞ୍ଚଳରେ ସିନ୍ଧୁ ନଦୀର ଶାଖାନଦୀ କିଷନଗଙ୍ଗା ଉପରେ ନିର୍ମିତ ୩୩୦ ମେଗାୱାଟ୍ କ୍ଷମତାସମ୍ପନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସରେ ଉଦ୍ଘାଟନ କରିଥିଲେ । ସେବେଠାରୁ ଏହାକୁ ନେଇ ପାକିସ୍ତାନ ଅସହିଷ୍ଣୁତା ବ୍ୟକ୍ତ କରିଆସିଛି । ଏପରିକି ପାକିସ୍ତାନର ଆଟର୍ଣ୍ଣି ଜେନେରାଲ୍ ଅସ୍ତର ଆସଫ୍ ଅଲ୍ଲୀଙ୍କ ନେତୃତ୍ୱରେ ଏକ ଟିମ୍ ବିଶ୍ୱବ୍ୟାଙ୍କ୍ର ଅଧ୍ୟକ୍ଷ କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ଭେଟି ଭାରତ ବିରୁଦ୍ଧରେ ଫେରାଦ ହୋଇଥିଲେ । କେବଳ ସେତିକି ନୁହେଁ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ଅଦାଲତକୁ ଯିବାକୁ ଧମକ ମଧ୍ୟ ଦେଇଥିଲା । ତେବେ ଭାରତ ଦର୍ଶାଇଥିଲା ଯେ, ୧୯୬୦ରେ ଉଭୟ ଦେଶ ମଧ୍ୟରେ ସମ୍ପାଦିତ ହୋଇଥିବା ସିନ୍ଧୁ ଚୁକ୍ତିନାମା ଅନୁସାରେ ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ ହୋଇଛି । ଭାରତର ଏହାର ଆବଶ୍ୟକତା ଅନୁସାରେ କିଛି ଜଳ ଉପଯୋଗ କରିବ । ଏହାକୁ ପାକିସ୍ତାନ ରୋକିପାରିବ ନାହିଁ ଏବଂ ଏହା ଉପରେ ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ପଡ଼ିଲେ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ମଧ୍ୟସ୍ଥ ଭାବେ ନିଯୁକ୍ତ କରିବାକୁ ଭାରତ କହିଥିଲା । ବିଶ୍ୱବ୍ୟାଙ୍କ୍ ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରିବା ସହ କହିଛି ଯେ, ପାକିସ୍ତାନ ଭାରତର ପରାମର୍ଶ ମୁତାବକ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ମଧ୍ୟସ୍ଥ ଭାବେ ଗ୍ରହଣ କରୁ । ଏହି ମାମଲା ଅନ୍ତରାଷ୍ଟ୍ରୀୟ ନ୍ୟାୟିକ ଅଦାଲତକୁ ପଠାଇବା ପାଇଁ ବିଶ୍ୱବ୍ୟାଙ୍କ୍ ଅଗ୍ରାହ୍ୟ କରିଦେଇଛନ୍ତି ।
Subscribe to:
Post Comments (Atom)
No comments:
Post a Comment